ପବିତ୍ର କୁମ୍ଭମେଳା


ଆମ ମହାନ ଭାରତୀୟ ସନାତନ ଧର୍ମୀୟ ପରମ୍ପରାରେ କୁମ୍ଭମେଳା ବେଶ ମହତ୍ୱପୂର୍ଣ୍ଣ । ପରମ୍ପରା ଓ ରୀତିନୀତି ଅନୁଯାୟୀ ପର୍ଯ୍ୟାୟକ୍ରମେ ଭାରତର ହରିଦ୍ୱାର, ପ୍ରୟାଗ, ଉଜ୍ଜିୟନୀ ଓ ନାସିକରେ ଏହି ପବିତ୍ର କୁମ୍ଭମେଳା ଆୟୋଜିତ ହୋଇଥାଏ । ସବୁଠାରୁ ବଡ଼କଥା ହେଉଛି ବିଶ୍ୱର ଏ ସର୍ବବୃହତ୍ ଶାନ୍ତିପୂର୍ଣ୍ଣ ଉତ୍ସବରେ ଭାରତର ସନାତନ ଧର୍ମ ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳେ । ନିର୍ଦ୍ଦିଷ୍ଟି ତିଥିରେ ପବିତ୍ର ନଦୀରେ ବୁଡ଼ ପକାଇଲେ ପାପ ମୋଚନ ତଥା ପୂଣ୍ୟ ଅର୍ଜନ କରିବାର ବିଶ୍ୱାସ ରହିଛି । ଆମେ କୁମ୍ଭମେଳାର ଉତ୍ସବ ଭାବେ ବିଷ୍ଣୁ ପୁରାଣ ଓ ସ୍କନ୍ଦ ପୁରାଣରେ ଅନେକ ପୌରାଣିକ ଆଖ୍ୟାନମାନ ଦେଖିବାକୁ ପାଉ । ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ମିଳନସ୍ଥଳକୁ ତ୍ରିବେଣୀ ସଙ୍ଗମ କୁହାଯାଏ । ଆମ ହିନ୍ଦୁ ଶାସ୍ତ୍ରରେ ଆଧ୍ୟାତ୍ମିକ, ସଂସ୍କୃତି ଓ ପରମ୍ପରା ଏବଂ ବିଶ୍ୱାସ ଭାବାବେଗର ସମାବେଶ ହେଉଛି ମହାକୁମ୍ଭ । ଆମ ପୁରାଣ ଶାସ୍ତ୍ରରେ ପରମ୍ପରାକୁ ଭିତ୍ତି କରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୁମ୍ଭମେଳା ମୁଖ୍ୟତଃ ଗ୍ରହ ମାନଙ୍କ ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ । ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି । ହିନ୍ଦୁ ଧର୍ମର ଗ୍ରନ୍ଥରେ କୁମ୍ଭମେଳାକୁ ଅମରତ୍ୱର ମେଳା ମଧ୍ୟ କୁହାଯାଏ । 
    ପ୍ରୟାଗରାଜର ମହାକୁମ୍ଭମେଳା ଭାରତର ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ, ଗଭୀର ଆଧ୍ୟାତ୍ମବାଦ ଏବଂ ଅପୂର୍ବ ସଂଗଠନାତ୍ମକ କ୍ଷମତାର ଏକ ଶାସ୍ୱତ ପ୍ରତୀକ । ପୌରାଣିକ ଆଧାରରୁ ଆରମ୍ଭ କରି ଆଧୁନିକ ଆୟୋଜନ ପର୍ଯ୍ୟନ୍ତ ଏହି ଉତ୍ସବ ଏକ ବିଶ୍ୱସ୍ତରୀୟ ମେଳାର ରୂପ ଧାରଣ କରିସାରିଛି । ବହୁ ଆହ୍ୱାନ ସତ୍ତ୍ୱେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟ ଶ୍ରଦ୍ଧା, ଭକ୍ତି ଏବଂ ଏକତାର ଭାବନାକୁ ପ୍ରେରିତ କରୁଛି । ବିଶ୍ୱାସ କରାଯାଉଛି ସମୁଦ୍ର ମନ୍ଥନ କାଳରେ ଯେଉଁ ସଂଯୋଗ ପଡ଼ିଥଲା ବର୍ତ୍ତମାନ ସେହି ସଂଯୋଗ ଆସିଛି । ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ ମେଳାକୁ ନେଇ ରହିଛି ବିଭିନ୍ନ ଜନଶ୍ରୁତି, କିମ୍ବଦନ୍ତୀ ଏବଂ ଇତିହାସ ଯେଉଁଗୁଡ଼ିକ ସମୟ କ୍ରମେ ସାଧାରଣ ଲୋକଙ୍କ ଧାର୍ମିକ ବିଶ୍ୱାସରେ ମିଶି ଯାଇଛି । ସନ୍ଥ ତୁଳସୀ ଦାସ ତାଙ୍କ ରଚିତ ରାମାୟଣରେ ଉଲ୍ଲେଖ କରିଯାଇଛନ୍ତି, "ମାଘ ମକରଗତ ରବି ଜବ ହଇ / ତୀରଥପତି ହି ଅବ ସବ କୋଇ / ଦେବଦନ୍ତୁଜ କିନ୍ନର ନରଶ୍ରେଣୀ / ସାଦର ମଜ୍ଜ ହି ସକଲ ତ୍ରିବେଣୀ ।' ଅର୍ଥାତ୍ ମାଘ ମାସରେ ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରନ୍ତି, ଦଳ ଦଳ ହୋଇ ଭକ୍ତଗଣ ତୀର୍ଥରାଜ ପ୍ରୟାଗ ଅଭିମୁଖେ ଯାତ୍ରା କରନ୍ତି । ସେହି ପୁଣ୍ୟଲଗ୍ନରେ ଦେବତା, ଦାନବ, କିନ୍ନର, ମାନବ ସମସ୍ତେ ପରମ ଶ୍ରଦ୍ଧାରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନର ଆନନ୍ଦ ଲାଭ କରନ୍ତି । ବାଲ୍ମିକୀ ରାମାୟଣରେ ଏହି ତଥ୍ୟ ଯଦିଓ ଉଲ୍ଲେଖ ନାହିଁ କିନ୍ତୁ ଇତିହାସ ପୃଷ୍ଠା ଅବଲୋକନ କଲେ ଆକବରଙ୍କ ଶାସନ କାଳରେ ତୁଳସୀ ଦାସ ମଧ୍ୟ ଅସ୍ୱୀକାର କରିପାରିନାହାନ୍ତି ମାଘ ମେଳାର ଐତିହ୍ୟ । ତ୍ରିବେଣୀ ସଙ୍ଗମର ଏହି ମେଳା ହିଁ ନିର୍ଦ୍ଦିଷ୍ଟ ସମୟାନ୍ତରରେ କୁମ୍ଭ, ଅର୍ଦ୍ଧ କୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭରେ ନାମିତ ହୋଇଛି । କୁହାଯାଏ ପ୍ରୟାଗରାଜର ଏହି ମେଳା ହିଁ ଦେଶର ସର୍ବ ପୁରାତନ ଧର୍ମୀୟ ମେଳା । 
    ଆମ ଭାରତର ମହାନ ସଂସ୍କୃତିରେ ଏପରି ଏକ ଆୟୋଜନ ଯାହା ଆସ୍ଥା, ପରମ୍ପରା ଓ ଆଧ୍ୟାତ୍ମିକତାର ପ୍ରତୀକ । ବସୁଧୈବକ କୁଟୁମ୍ବକମ୍ ପରି ସନାତନୀ ମୂଲ୍ୟବୋଧ, ବିଶ୍ୱପ୍ରେମ, ସମାନତା, ମୂଲ୍ୟବୋଧ, ଭ୍ରାତୃତ୍ୱବାଦ, ଆଦର୍ଶ ସବୁର ମାର୍ମିକ ପ୍ରତିଫଳନ ହେଉଛି ଏହି କୁମ୍ଭମେଳା । ଭାରତର ସନାତନ ସଂସ୍କୃତିର ମହାନ ଉଦ୍ଘୋଷଣ ଭିତରେ ଶୈବ ହୁଅନ୍ତୁ କି ବୈଷ୍ଣବ, ଶାକ୍ତ ହୁଅନ୍ତୁ ବା ଶିଖ୍ ଧର୍ମାବଲମ୍ବୀ । ପ୍ରତ୍ୟେକ ସାଧନା ଧାରାର ସାଧୁ, ସନ୍ଥ, ଯୋଗୀ, ମହାଯୋଗୀ, ଶ୍ରଦ୍ଧାଳୁ ଓ ଜିଜ୍ଞାସୁମାନଙ୍କର ଆଲୋକିତ ମିଳନ ସ୍ଥଳୀ ଏ କୁମ୍ଭ, ମହାକୁମ୍ଭମେଳା ସବୁ । ମହାକୁମ୍ଭ ଭାରତର ଶତାବ୍ଦୀ ପ୍ରାଚୀନ ପରମ୍ପରାର ପ୍ରତୀକ ଯାହା ଆମକୁ ବିଶ୍ୱାସର ଶକ୍ତି, ସାଂସ୍କୃତିକ ସଂରକ୍ଷଣର ମହତ୍ୱ ଓ ମାନବିକତାର ମନ୍ତ୍ର ଶିଖାଇଥାଏ । 
ଡ.ସୁରେଶ କୁମାର ନାୟକ
ଋ-ଜ୍ଞବସକ୍ଷ : ଗ୍ଦ୨୭୧୧୬୯ଅଶଜ୍ଞବସକ୍ଷ.ମକ୍ଟଜ୍ଞ